Hajila Dinara Katha (ହଜିଲା ଦିନର କଥା) - Odia Story About "Madhusudan Das" By Ramesh Chandra Bhanj

Hajila Dinara Katha - Odia Story About "Madhusudan Das" By Ramesh Chandra Bhanja. This short story can be found in many Odia School Text Books.The story describes Madhu Babu's greatness towards Odia peoples.


Advertisements

Hajila Dinara Katha - Odia Story About "Madhusudan Das" By Ramesh Chandra Bhanja. This short story can be found in many Odia School Text Books.The story describes Madhu Babu's greatness towards Odia peoples.
Hajila Dinara Katha (ହଜିଲା ଦିନର କଥା) - Odia Story About "Madhusudan Das" By Ramesh Chandra Bhanja. This short story can be found in many Odia School Text Books.

The story describes Madhu Babu's greatness towards Odia peoples.


ହଜିଲା ଦିନର କଥା
ଲେଖକ: ରମେଶ ଚନ୍ଦ୍ର ଭଞ୍ଜ

ସକାଳ ବୁଲା ଦେହକୁ ବଡ଼ ହିତ । ବେଶ୍ ଫୁର୍ତ୍ତି ଲାଗେ, ସତେଜ ଲାଗେ । ସେଦିନ ମଧୁବାବୁ ସବୁଦିନିଆ ସକାଳ ବୁଲା ସାରି କୋଠିକୁ ଫେରି ଆସୁଥାନ୍ତି । ନିତି କିଲ୍ଲା ପଡ଼ିଆରେ ଘେରାଏ ବୁଲି ନ ଆସିଲେ ବାବୁଙ୍କୁ ଶାନ୍ତି ଲାଗେ ନାହିଁ । ବେଳେବେଳେ ବାରବାଟୀ କଡ଼ଦେଇ ମହାନଦୀ କୂଳେ କୂଳେ ଥୋଡ଼ାଏ ବାଟ ଚାଲିଯାଆନ୍ତି । ହାତରେ ଥାଏ ଶିଙ୍ଗ ବାଡ଼ି । ଘରଲେଉଟାଣି ମନଟା ଟିକିଏ ହାଲୁକା ଲାଗେ । ଶିଙ୍ଗ ବାଡ଼ିଟା ହାତରେ ଘୁରୁଥାଏ । କାଳି ଅନ୍ଧାରରୁ ସେ ବାହାରି ଯାଆନ୍ତି । ଫେରୁ ଫେରୁ କଅଁଳ ଖରା ପଡ଼ିଯାଇ ଥାଏ, ସେଦିନ କାହିଁକି କେଜାଣି ଟିକିଏ ସଅଳ ଲେଉଟି ଆସିଥାନ୍ତି । ହତା ଭିତରେ ପଶୁପଶୁ ଆଖିରେ ପଡ଼ିଲା – ଗିନା, ଗଡ଼ୁ, ଠେକି, ଢାଳ ଥୁଆ ହୋଇଛି । କୋତରା କସ୍ତାପିନ୍ଧା ସ୍ତ୍ରୀଲୋକ କେତୋଟି ଅପେକ୍ଷା କରି ଠିଆ ହୋଇଛନ୍ତି । ସେମାନଙ୍କ କାଖରେ କୁନିକୁନି ଛୁଆ । ବାବୁଙ୍କୁ ଦେଖୁ ସଭିଏଁ ଶଙ୍କି ଗଲେ ।

ସ୍ତ୍ରୀ ଲୋକଙ୍କ ଚେହେରା ଯେମିତି, ଛୁଆଙ୍କ ଚେହେରା ତାକୁ ବଳି । ସମସ୍ତଙ୍କ ମୁଣ୍ଡ ନୁଖୁରା, ହାଡ଼ୁଆ ଦେହକୁ ଠାକରା ମୁହଁ, ଓଠ ଶୁଖିଲା, ଆଖି ନିସ୍ତେଜ, ଛୁଆଗୁଡ଼ିକଙ୍କ ଦେହ ଫୁଙ୍ଗୁଳା, ପତଳା ଓ ଦୁର୍ବଳ ଚେହେରା । 

ବାବୁ କାବା ହେଲେ, ଏମାନେ ଆଜି କୁଆଡ଼େ ! ଏଠାରେ କାହିଁକି ! ସମସ୍ତଙ୍କ ଉପରେ ଥରେ ଆଖି ବୁଲାଇ ବାବୁ ପଚାରିଲେ
-କୁଆଡ଼େ ସବୁ ଆସିଛ ?
-କ୍ଷୀର ପାଇଁ । ଏଇ ପିଲାଙ୍କ ସକାଶେ ।
-କିଏ କ୍ଷୀର ଦେବ ?
-ସୁଦାମ ଭଲ କ୍ଷୀର ଟିକିଏ ଦଉଚି ତ..........

ସୁଦାମର ଘର ବିଡ଼ାନାସୀରେ । ସେ ବାବୁଙ୍କ ଗାଈମାନଙ୍କର ହେପାଜତ୍ କରେ । ଗୁହାଳ ଗୋବର, ଚୁନି, ଚୋକଡ଼, ନଡ଼ା, କୁଟା, ଘାସ, କୋଳଥ ସବୁ ତଦାରଖ କରେ । ଖାଇ ପିଇ ବାବୁଙ୍କ ଘରେ ଥାଏ । ବେଳେବେଳେ ଅନ୍ୟ ବୋଲହାକ କରେ । 

ବାବୁ ତଲାସ କରି ବୁଝିଲେ, ଏମାନେ ଆଜି କେବଳ ଆସି ନାହାନ୍ତି । ଏମିତି ଗଲା କେତେଦିନ ଧରି ଆସୁଛନ୍ତି । ପୁଣି ପଇସା ଦେଇ କ୍ଷୀର ନେଉଛନ୍ତି । କିଏ ପାଏ ତ କିଏ ଅଧପାଏ । ସବୁ ପଇସା ଦେଉଛନ୍ତି ସୁଦାମକୁ । ବାବୁଙ୍କର ମଥାକୁ ରାଗ ଚଢ଼ିଗଲା, ମନେମନେ ସେ ନିଆଁ ହୋଇଗଲେ ସୁଦାମ ଉପରେ । ତାଙ୍କ ଅଜାଣତରେ ସୁଦାମ କ୍ଷୀର ବିକି ପଇସା ରଖୁଛି ? ଆଜି ସୁଦାମ ଘରୁ ବିଦା ହେବ । ହେଲେ ସୁଦାମ ତ ସେପରି ଲୋକ ନୁହେଁ ଏତେ ଦିନ ଧରି ରହିଲାଣି, ବାବୁଙ୍କର ଲୋକ ଚିହ୍ନିବାରେ ତେବେ କ’ଣ ଏତେ ଭୂଲ ରହିଗଲା ?

ସୁଦାମକୁ ପାଖକୁ ଡାକି ବାବୁ ପଚାରିଲେ । ସୁଦାମ ସିଧାସିଧା ମାନିଗଲା । ସିଏ କାହିଁକି ଲୁଚାଇବ ! କୋଠି ଖର୍ଚ୍ଚ ବାଦ୍ କ୍ଷୀର ଢେର ବଳକା ହେଉଛି । ସେ କ୍ଷୀର ଆଉ କ'ଣ ହେବ ? ତେଣୁ ସେ ବିକି ଦେଉଛି । ସେହି ପଇସାରେ ଗାଈଙ୍କ ପାଇଁ ଚୁନି, ଚୋକଡ଼, ପିଡ଼ିଆ, ନଡ଼ାପାଳ, କିଣି ଖାଇବାକୁ ଦେଉଛି ।

ଏ ସବୁ ଶୁଣି ଗର୍ଜି ଉଠିଲେ ବାବୁ, – “ହଇରେ ! ମଧୁ ଦାସ ଶେଷକୁ କ୍ଷୀର ବିକିବ ? ଛିଃ-ଛିଃ! ତା' ପୁଣି ଏଇ ଗରିବ ଲୋକଗୁଡ଼ାଙ୍କୁ ! ଲୋକେ ଶୁଣିଲେ କ'ଣ କହିବେ ? ଗାଈଙ୍କର ଯଦି ଦାନାର ଅଭାବ ହେଉଛି ମୋତେ ଜଣାଇଲୁ ନାହିଁ ? ଖାଇବାକୁ ଦେଇ ନ ପାରିଲେ ମଧୁ ଦାସ ଗୋଟିଗୋଟି କରି ସବୁ ଗାଈ ବିକିଦେବ ସିନା, କ୍ଷୀର ବିକି ପାରିବ ନାହିଁ । ଅଭାବ ଭିତରେ ଉତ୍କଳ ଚ୍ୟାନେରୀ ଜୋତା କାରଖାନାଟା ନିଲାମ ହୋଇଗଲା । ତା’ ଦେହ ସହିଲା, ତଥାପି ମଧୁ ଦାସ ତଳକୁ ଖସିଯାଇ ନାହିଁ । ନା, ତା' ହୋଇପାରିବ ନାହିଁ। କାଲିଠାରୁ କ୍ଷୀର ମାଗଣା ଦିଆଯିବ । “ଗାଈ ଦୁହାଁଳ ଥିବା ପର୍ଯ୍ୟନ୍ତ କୋଠି ଖର୍ଚ୍ଚରୁ କାଟି ଏହି ଛୁଆମାନଙ୍କୁ କ୍ଷୀର ଦିଆଯିବ ।”

ଓଡ଼ିଆ ମାନଙ୍କର ଦୁର୍ଦ୍ଦଶା ଦେଖି ଯାହାଙ୍କର ପ୍ରାଣ ସବୁବେଳେ କାନ୍ଦୁଥିଲା, ସେ କ’ଣ କେବେ ଏଭଳି କ୍ଷୀର ବିକି ପାରିଥା’ନ୍ତେ ? ଏ ମଧୁ ଦାସ କିଏ, ସେ ବିଷୟରେ ଅଧିକ କହିବାର ଆବଶ୍ୟକତା ନାହିଁ । କାରଣ ସେ ମଧୁ ବାରିଷ୍ଟର, ମିଷ୍ଟର ଦାସ୍, ମଧୁବାବୁ ଭାବେ ଓଡ଼ିଶାରେ ସବୁଠାରେ ଜଣାଶୁଣା । ଏବେ ମଧ୍ୟ ଅନେକ ଲୋକଙ୍କ ମୁହଁରୁ ଢଗଟିଏ ଶୁଣିବାକୁ ମିଳେ- “ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି”, ତାଙ୍କ ପରି ପଢୁଆ ଓ ଲଢୁଆ ମଣିଷ ସେତେବେଳେ ଓଡ଼ିଶାରେ ଖୁବ୍ କମ୍ ଥିଲେ । ସେ ରେଭେନ୍ସା କଲିଜିଏଟ୍ ସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ପାସ୍ କରିବା ପରେ ପ୍ରଥମେ କଲିକତା ପଢ଼ିବାକୁ ଯାଇଥିଲେ । ସେଠାରୁ ଏମ୍.ଏ., ବି.ଏଲ, ପାସ୍ କରିଥିଲେ ।

୧୮୮୦ ମସିହାରେ ସେ କଲିକତା ଛାଡ଼ି କଟକ ଚାଲି ଆସିଲେ । ପହିଲେ କଟକର “ବିହାରୀ ବାଗ” ରେ ରହି ଅଦାଲତରେ ଓକିଲାତି ଆରମ୍ଭ କଲେ । ପରେ ମିଶନରୋଡରେ ନିଜ ଘର ତୋଳି ଜୀବନର ଶେଷ ପର୍ଯ୍ୟନ୍ତ ସେହିଠାରେ ରହିଥିଲେ । ଏବେ ତାଙ୍କରି ଘରେ “ଶୈଳବାଳା ମହିଳା କଲେଜ” ଠିଆ ହୋଇଛି । ସେହି ହତା ଭିତରେ “ମଧୁସୃତି” ନାମକ ଏକ କୋଠରୀ ଅଛି । ମଧୁବାବୁଙ୍କର ହାତବାଡ଼ି, ପଗଡ଼ି, ଚଷମା, ଜୋତା, ଦୋସଡ଼ା, ଶାଲ୍ ଇତ୍ୟାଦି ସବୁ ଜିନିଷ ସେଇଠି ସାଇତା ହୋଇ ରହିଛି ।

୧୯୦୫ ମସିହାରେ ମଧୁବାବୁ କଟକରେ “ଉତ୍କଳ ଟାନେରୀ” ନାମରେ ଗୋଟିଏ ବିରାଟ ଜୋତା କାରଖାନା ବସାଇଥିଲେ । ସେହି କାରଖାନାରେ ଗୋରୁ, ମଇଁଷି, ମେଣ୍ଢା, ଗୋଧି ଓ କୁମ୍ଭୀର ଚମଡ଼ାରୁ ଓଡ଼ିଆ କାରିଗରମାନେ ସୁନ୍ଦର ଓ ମଜବୁତ୍ ଜୋତା ତିଆରି କରୁଥିଲେ । ଏ ଜୋତା ବହୁତ ପରିମାଣରେ ବିଦେଶକୁ ଚାଲାଣ ହେଉଥିଲା । ଦେଶ ବିଦେଶରେ ଜୋତା ପାଇଁ ଓଡ଼ିଶାର ଟେକ ଥିଲା । କାମରେ ଟିକିଏ ଖଇଚା ଦେଖିଲେ ମଧୁବାବୁ ବିଡ଼ାବିଡ଼ା ଜୋତା ପୋଡ଼ି ଦେଉଥିଲେ । ସେଥିପାଇଁ ମଧୁବାବୁଙ୍କୁ ଟଙ୍କା ପଇସାର ଘୋର ଅଭାବ ସହିବାକୁ ପଡ଼ିଥିଲା । ଶେଷରେ କରଜ ଶୁଝି ନ ପାରିବାରୁ କାରଖାନାଟି ନିଲାମ ହୋଇଗଲା । 

ମଧୁବାବୁଙ୍କର ଶେଷ ଜୀବନରେ ସବୁବେଳେ ଦାରୁଣ ଅଭାବ ଘୋଟି ରହିଥିଲା । ହେଲେ ସେ ଅଭାବ ତାଙ୍କୁ ତିଳେ ହେଲେ ବିଚଳିତ କରି ପାରୁ ନ ଥିଲା । ଯେଉଁ ଖାଦ୍ୟ ସାଧାରଣ ଓଡ଼ିଆ ଖାଏ, ସେହି ଖାଦ୍ୟ ମଧୁବାବୁ ନିତିଦିନ ଖାଉଥିଲେ । ତା' ଥିଲା ପୋଷେ ଢିଙ୍କିକୁଟା ଉଷୁନା ଚାଉଳର ଭାତ, ଦୁଇ ଚାରିଖଣ୍ଡ ଅମୃତଭଣ୍ଡା ସିଝା, ଅଳ୍ପ କିଛି କ୍ଷୀର, ମଦରଙ୍ଗା କିମ୍ବା ହିଡ଼ିମିଚା ଶାଗ । ଚାରି ପାଞ୍ଚ ମୁଠା ଖଇ ତାଙ୍କର ସବୁଠାରୁ ଅତି ପ୍ରିୟ ଜଳଖିଆ ଥିଲା, ଯେ ମର୍ମେମର୍ମେ ଓଡ଼ିଆମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଅନୁଭବ କରୁଥିଲେ; ସେ କିପରି କ୍ଷୀର ବିକିଥା'ନ୍ତେ ଦୁଃଖୀ ଦରିଦ୍ରମାନଙ୍କୁ !

ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ଇଂରାଜୀ ପଢୁଆ ଏମ୍.ଏ., ପ୍ରଥମ ଓକିଲ, ପ୍ରଥମ ମନ୍ତ୍ରୀ, ପ୍ରଥମ ବିଲାତ ଯାତ୍ରୀ । ତାଙ୍କୁ ଦେଖିଲାମାତ୍ରେ ଯେକୌଣସି ଲୋକର ମୁଣ୍ଡ ନଇଁ ଯାଉଥିଲା । ସେ ଓଡ଼ିଶାର ଗୌରବ, ଆମ ଜାତିର ଗୌରବ, ତାଙ୍କୁ ‘ଉତ୍କଳଗୌରବ' ବୋଲି କୁହାଯାଏ । ୧୮୪୮ ମସିହା ଏପ୍ରିଲ ମାସ ୨୮ ତାରିଖ ଦିନ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା ଏବଂ ୧୯୩୪ ମସିହା ଫେବୃୟାରୀ ୪ ତାରିଖ ଦିନ କଟକରେ ତାଙ୍କର ମୃତ୍ୟୁ ହେଲା । 
Labels:
Reactions:

Advertisements

Post a Comment


Advertisements

MKRdezign

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget