The story describes Madhu Babu's greatness towards Odia peoples.
ହଜିଲା ଦିନର କଥା
ଲେଖକ: ରମେଶ ଚନ୍ଦ୍ର ଭଞ୍ଜ
ସକାଳ ବୁଲା ଦେହକୁ ବଡ଼ ହିତ । ବେଶ୍ ଫୁର୍ତ୍ତି ଲାଗେ, ସତେଜ ଲାଗେ । ସେଦିନ ମଧୁବାବୁ ସବୁଦିନିଆ ସକାଳ ବୁଲା ସାରି କୋଠିକୁ ଫେରି ଆସୁଥାନ୍ତି । ନିତି କିଲ୍ଲା ପଡ଼ିଆରେ ଘେରାଏ ବୁଲି ନ ଆସିଲେ ବାବୁଙ୍କୁ ଶାନ୍ତି ଲାଗେ ନାହିଁ । ବେଳେବେଳେ ବାରବାଟୀ କଡ଼ଦେଇ ମହାନଦୀ କୂଳେ କୂଳେ ଥୋଡ଼ାଏ ବାଟ ଚାଲିଯାଆନ୍ତି । ହାତରେ ଥାଏ ଶିଙ୍ଗ ବାଡ଼ି । ଘରଲେଉଟାଣି ମନଟା ଟିକିଏ ହାଲୁକା ଲାଗେ । ଶିଙ୍ଗ ବାଡ଼ିଟା ହାତରେ ଘୁରୁଥାଏ । କାଳି ଅନ୍ଧାରରୁ ସେ ବାହାରି ଯାଆନ୍ତି । ଫେରୁ ଫେରୁ କଅଁଳ ଖରା ପଡ଼ିଯାଇ ଥାଏ, ସେଦିନ କାହିଁକି କେଜାଣି ଟିକିଏ ସଅଳ ଲେଉଟି ଆସିଥାନ୍ତି । ହତା ଭିତରେ ପଶୁପଶୁ ଆଖିରେ ପଡ଼ିଲା – ଗିନା, ଗଡ଼ୁ, ଠେକି, ଢାଳ ଥୁଆ ହୋଇଛି । କୋତରା କସ୍ତାପିନ୍ଧା ସ୍ତ୍ରୀଲୋକ କେତୋଟି ଅପେକ୍ଷା କରି ଠିଆ ହୋଇଛନ୍ତି । ସେମାନଙ୍କ କାଖରେ କୁନିକୁନି ଛୁଆ । ବାବୁଙ୍କୁ ଦେଖୁ ସଭିଏଁ ଶଙ୍କି ଗଲେ ।
ସ୍ତ୍ରୀ ଲୋକଙ୍କ ଚେହେରା ଯେମିତି, ଛୁଆଙ୍କ ଚେହେରା ତାକୁ ବଳି । ସମସ୍ତଙ୍କ ମୁଣ୍ଡ ନୁଖୁରା, ହାଡ଼ୁଆ ଦେହକୁ ଠାକରା ମୁହଁ, ଓଠ ଶୁଖିଲା, ଆଖି ନିସ୍ତେଜ, ଛୁଆଗୁଡ଼ିକଙ୍କ ଦେହ ଫୁଙ୍ଗୁଳା, ପତଳା ଓ ଦୁର୍ବଳ ଚେହେରା ।
ବାବୁ କାବା ହେଲେ, ଏମାନେ ଆଜି କୁଆଡ଼େ ! ଏଠାରେ କାହିଁକି ! ସମସ୍ତଙ୍କ ଉପରେ ଥରେ ଆଖି ବୁଲାଇ ବାବୁ ପଚାରିଲେ
-କୁଆଡ଼େ ସବୁ ଆସିଛ ?
-କ୍ଷୀର ପାଇଁ । ଏଇ ପିଲାଙ୍କ ସକାଶେ ।
-କିଏ କ୍ଷୀର ଦେବ ?
-ସୁଦାମ ଭଲ କ୍ଷୀର ଟିକିଏ ଦଉଚି ତ..........
ସୁଦାମର ଘର ବିଡ଼ାନାସୀରେ । ସେ ବାବୁଙ୍କ ଗାଈମାନଙ୍କର ହେପାଜତ୍ କରେ । ଗୁହାଳ ଗୋବର, ଚୁନି, ଚୋକଡ଼, ନଡ଼ା, କୁଟା, ଘାସ, କୋଳଥ ସବୁ ତଦାରଖ କରେ । ଖାଇ ପିଇ ବାବୁଙ୍କ ଘରେ ଥାଏ । ବେଳେବେଳେ ଅନ୍ୟ ବୋଲହାକ କରେ ।
ବାବୁ ତଲାସ କରି ବୁଝିଲେ, ଏମାନେ ଆଜି କେବଳ ଆସି ନାହାନ୍ତି । ଏମିତି ଗଲା କେତେଦିନ ଧରି ଆସୁଛନ୍ତି । ପୁଣି ପଇସା ଦେଇ କ୍ଷୀର ନେଉଛନ୍ତି । କିଏ ପାଏ ତ କିଏ ଅଧପାଏ । ସବୁ ପଇସା ଦେଉଛନ୍ତି ସୁଦାମକୁ । ବାବୁଙ୍କର ମଥାକୁ ରାଗ ଚଢ଼ିଗଲା, ମନେମନେ ସେ ନିଆଁ ହୋଇଗଲେ ସୁଦାମ ଉପରେ । ତାଙ୍କ ଅଜାଣତରେ ସୁଦାମ କ୍ଷୀର ବିକି ପଇସା ରଖୁଛି ? ଆଜି ସୁଦାମ ଘରୁ ବିଦା ହେବ । ହେଲେ ସୁଦାମ ତ ସେପରି ଲୋକ ନୁହେଁ ଏତେ ଦିନ ଧରି ରହିଲାଣି, ବାବୁଙ୍କର ଲୋକ ଚିହ୍ନିବାରେ ତେବେ କ’ଣ ଏତେ ଭୂଲ ରହିଗଲା ?
ସୁଦାମକୁ ପାଖକୁ ଡାକି ବାବୁ ପଚାରିଲେ । ସୁଦାମ ସିଧାସିଧା ମାନିଗଲା । ସିଏ କାହିଁକି ଲୁଚାଇବ ! କୋଠି ଖର୍ଚ୍ଚ ବାଦ୍ କ୍ଷୀର ଢେର ବଳକା ହେଉଛି । ସେ କ୍ଷୀର ଆଉ କ'ଣ ହେବ ? ତେଣୁ ସେ ବିକି ଦେଉଛି । ସେହି ପଇସାରେ ଗାଈଙ୍କ ପାଇଁ ଚୁନି, ଚୋକଡ଼, ପିଡ଼ିଆ, ନଡ଼ାପାଳ, କିଣି ଖାଇବାକୁ ଦେଉଛି ।
ଏ ସବୁ ଶୁଣି ଗର୍ଜି ଉଠିଲେ ବାବୁ, – “ହଇରେ ! ମଧୁ ଦାସ ଶେଷକୁ କ୍ଷୀର ବିକିବ ? ଛିଃ-ଛିଃ! ତା' ପୁଣି ଏଇ ଗରିବ ଲୋକଗୁଡ଼ାଙ୍କୁ ! ଲୋକେ ଶୁଣିଲେ କ'ଣ କହିବେ ? ଗାଈଙ୍କର ଯଦି ଦାନାର ଅଭାବ ହେଉଛି ମୋତେ ଜଣାଇଲୁ ନାହିଁ ? ଖାଇବାକୁ ଦେଇ ନ ପାରିଲେ ମଧୁ ଦାସ ଗୋଟିଗୋଟି କରି ସବୁ ଗାଈ ବିକିଦେବ ସିନା, କ୍ଷୀର ବିକି ପାରିବ ନାହିଁ । ଅଭାବ ଭିତରେ ଉତ୍କଳ ଚ୍ୟାନେରୀ ଜୋତା କାରଖାନାଟା ନିଲାମ ହୋଇଗଲା । ତା’ ଦେହ ସହିଲା, ତଥାପି ମଧୁ ଦାସ ତଳକୁ ଖସିଯାଇ ନାହିଁ । ନା, ତା' ହୋଇପାରିବ ନାହିଁ। କାଲିଠାରୁ କ୍ଷୀର ମାଗଣା ଦିଆଯିବ । “ଗାଈ ଦୁହାଁଳ ଥିବା ପର୍ଯ୍ୟନ୍ତ କୋଠି ଖର୍ଚ୍ଚରୁ କାଟି ଏହି ଛୁଆମାନଙ୍କୁ କ୍ଷୀର ଦିଆଯିବ ।”
ଓଡ଼ିଆ ମାନଙ୍କର ଦୁର୍ଦ୍ଦଶା ଦେଖି ଯାହାଙ୍କର ପ୍ରାଣ ସବୁବେଳେ କାନ୍ଦୁଥିଲା, ସେ କ’ଣ କେବେ ଏଭଳି କ୍ଷୀର ବିକି ପାରିଥା’ନ୍ତେ ? ଏ ମଧୁ ଦାସ କିଏ, ସେ ବିଷୟରେ ଅଧିକ କହିବାର ଆବଶ୍ୟକତା ନାହିଁ । କାରଣ ସେ ମଧୁ ବାରିଷ୍ଟର, ମିଷ୍ଟର ଦାସ୍, ମଧୁବାବୁ ଭାବେ ଓଡ଼ିଶାରେ ସବୁଠାରେ ଜଣାଶୁଣା । ଏବେ ମଧ୍ୟ ଅନେକ ଲୋକଙ୍କ ମୁହଁରୁ ଢଗଟିଏ ଶୁଣିବାକୁ ମିଳେ- “ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି”, ତାଙ୍କ ପରି ପଢୁଆ ଓ ଲଢୁଆ ମଣିଷ ସେତେବେଳେ ଓଡ଼ିଶାରେ ଖୁବ୍ କମ୍ ଥିଲେ । ସେ ରେଭେନ୍ସା କଲିଜିଏଟ୍ ସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ପାସ୍ କରିବା ପରେ ପ୍ରଥମେ କଲିକତା ପଢ଼ିବାକୁ ଯାଇଥିଲେ । ସେଠାରୁ ଏମ୍.ଏ., ବି.ଏଲ, ପାସ୍ କରିଥିଲେ ।
୧୮୮୦ ମସିହାରେ ସେ କଲିକତା ଛାଡ଼ି କଟକ ଚାଲି ଆସିଲେ । ପହିଲେ କଟକର “ବିହାରୀ ବାଗ” ରେ ରହି ଅଦାଲତରେ ଓକିଲାତି ଆରମ୍ଭ କଲେ । ପରେ ମିଶନରୋଡରେ ନିଜ ଘର ତୋଳି ଜୀବନର ଶେଷ ପର୍ଯ୍ୟନ୍ତ ସେହିଠାରେ ରହିଥିଲେ । ଏବେ ତାଙ୍କରି ଘରେ “ଶୈଳବାଳା ମହିଳା କଲେଜ” ଠିଆ ହୋଇଛି । ସେହି ହତା ଭିତରେ “ମଧୁସୃତି” ନାମକ ଏକ କୋଠରୀ ଅଛି । ମଧୁବାବୁଙ୍କର ହାତବାଡ଼ି, ପଗଡ଼ି, ଚଷମା, ଜୋତା, ଦୋସଡ଼ା, ଶାଲ୍ ଇତ୍ୟାଦି ସବୁ ଜିନିଷ ସେଇଠି ସାଇତା ହୋଇ ରହିଛି ।
୧୯୦୫ ମସିହାରେ ମଧୁବାବୁ କଟକରେ “ଉତ୍କଳ ଟାନେରୀ” ନାମରେ ଗୋଟିଏ ବିରାଟ ଜୋତା କାରଖାନା ବସାଇଥିଲେ । ସେହି କାରଖାନାରେ ଗୋରୁ, ମଇଁଷି, ମେଣ୍ଢା, ଗୋଧି ଓ କୁମ୍ଭୀର ଚମଡ଼ାରୁ ଓଡ଼ିଆ କାରିଗରମାନେ ସୁନ୍ଦର ଓ ମଜବୁତ୍ ଜୋତା ତିଆରି କରୁଥିଲେ । ଏ ଜୋତା ବହୁତ ପରିମାଣରେ ବିଦେଶକୁ ଚାଲାଣ ହେଉଥିଲା । ଦେଶ ବିଦେଶରେ ଜୋତା ପାଇଁ ଓଡ଼ିଶାର ଟେକ ଥିଲା । କାମରେ ଟିକିଏ ଖଇଚା ଦେଖିଲେ ମଧୁବାବୁ ବିଡ଼ାବିଡ଼ା ଜୋତା ପୋଡ଼ି ଦେଉଥିଲେ । ସେଥିପାଇଁ ମଧୁବାବୁଙ୍କୁ ଟଙ୍କା ପଇସାର ଘୋର ଅଭାବ ସହିବାକୁ ପଡ଼ିଥିଲା । ଶେଷରେ କରଜ ଶୁଝି ନ ପାରିବାରୁ କାରଖାନାଟି ନିଲାମ ହୋଇଗଲା ।
ମଧୁବାବୁଙ୍କର ଶେଷ ଜୀବନରେ ସବୁବେଳେ ଦାରୁଣ ଅଭାବ ଘୋଟି ରହିଥିଲା । ହେଲେ ସେ ଅଭାବ ତାଙ୍କୁ ତିଳେ ହେଲେ ବିଚଳିତ କରି ପାରୁ ନ ଥିଲା । ଯେଉଁ ଖାଦ୍ୟ ସାଧାରଣ ଓଡ଼ିଆ ଖାଏ, ସେହି ଖାଦ୍ୟ ମଧୁବାବୁ ନିତିଦିନ ଖାଉଥିଲେ । ତା' ଥିଲା ପୋଷେ ଢିଙ୍କିକୁଟା ଉଷୁନା ଚାଉଳର ଭାତ, ଦୁଇ ଚାରିଖଣ୍ଡ ଅମୃତଭଣ୍ଡା ସିଝା, ଅଳ୍ପ କିଛି କ୍ଷୀର, ମଦରଙ୍ଗା କିମ୍ବା ହିଡ଼ିମିଚା ଶାଗ । ଚାରି ପାଞ୍ଚ ମୁଠା ଖଇ ତାଙ୍କର ସବୁଠାରୁ ଅତି ପ୍ରିୟ ଜଳଖିଆ ଥିଲା, ଯେ ମର୍ମେମର୍ମେ ଓଡ଼ିଆମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଅନୁଭବ କରୁଥିଲେ; ସେ କିପରି କ୍ଷୀର ବିକିଥା'ନ୍ତେ ଦୁଃଖୀ ଦରିଦ୍ରମାନଙ୍କୁ !
ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ଇଂରାଜୀ ପଢୁଆ ଏମ୍.ଏ., ପ୍ରଥମ ଓକିଲ, ପ୍ରଥମ ମନ୍ତ୍ରୀ, ପ୍ରଥମ ବିଲାତ ଯାତ୍ରୀ । ତାଙ୍କୁ ଦେଖିଲାମାତ୍ରେ ଯେକୌଣସି ଲୋକର ମୁଣ୍ଡ ନଇଁ ଯାଉଥିଲା । ସେ ଓଡ଼ିଶାର ଗୌରବ, ଆମ ଜାତିର ଗୌରବ, ତାଙ୍କୁ ‘ଉତ୍କଳଗୌରବ' ବୋଲି କୁହାଯାଏ । ୧୮୪୮ ମସିହା ଏପ୍ରିଲ ମାସ ୨୮ ତାରିଖ ଦିନ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା ଏବଂ ୧୯୩୪ ମସିହା ଫେବୃୟାରୀ ୪ ତାରିଖ ଦିନ କଟକରେ ତାଙ୍କର ମୃତ୍ୟୁ ହେଲା ।
No comments:
Post a Comment