
ଉପକ୍ରମ :
ଧର୍ମପ୍ରଧାନ ଉତ୍କଳରେ ବାରମାସରେ ତେରପର୍ବ ପାଳିତ ହୁଏ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବାପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି । ଏହା ବ୍ୟତୀତ କେତେକ ପର୍ବ କୃଷିଭିଭିକ । ଅନ୍ୟ କେତେକ ପର୍ବ ଧର୍ମ ଉପରେ ପ୍ରତିଷ୍ଠିତ ହୋଇଥାଏ । ରଜପର୍ବ ହିନ୍ଦୁମାନଙ୍କର ଏକ ବିଶିଷ୍ଟ ପର୍ବ । ଏହା ତିନିଦିନ ଧରି ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୁଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ସେଦିନ ଝିଅ ବୋହୁମାନେ ନୂତନ ବସ୍ତ୍ର, ଶଙ୍ଖା ପରିଧାନ କରି ପିଠାପଣା ଖାଇ ଆନନ୍ଦ ଅନୁଭବ କରନ୍ତି ।
ପିଠାପଣା :
ରଜକୁ ଘରେ ଘରେ ପିଠାପଣା ହୁଏ । ସାଧାରଣତଃ ପୁରପଲ୍ଲୀରେ ପୋଡ଼ପିଠା ହୁଏ । ଏହା ବ୍ୟତୀତ ଏଣ୍ଡୁରି, କାକରା, ମଣ୍ଡା ପ୍ରଭୃତି ପିଠାପଣା ମଧ୍ୟ କରାଯାଏ । ତିନିଦିନ କେବଳ ପିଠାପଣା ଖିଆଯାଏ । ଦିବାବସାନ ପୂର୍ବରୁ ଲୋକମାନେ ପିଠାପଣା ଖାଇଦିଅନ୍ତି । ସବୁଠାରୁ ରଜପର୍ବର ପୋଡ଼ପିଠା ବେଶ୍ ରୁଚିପୂର୍ଣ୍ଣ ହୋଇଥାଏ । ଜଗନ୍ନାଥଙ୍କ ମନ୍ଦିରରେ ଏଇ ପୋଡ଼ପିଠା ହେବାର ପରମ୍ପରା ଅଛି ।
ନାରୀମାନଙ୍କର ଚଳଣି:
ଉତ୍କଳୀୟ ନାରୀର ରଜ ଏକ ବିଶିଷ୍ଟ ପର୍ବ । ସେମାନେ ରଜରେ ଭୂମିକୁ ସ୍ପର୍ଶ ନ କରିବାପାଇଁ ଦାଣ୍ଡରେ ଗୁଆ ଖୋଳପା ଓ କଦଳୀ ପଟୁକାରେ ଜୋତା ତିଆରି କରି ବ୍ୟବହାର କରନ୍ତି । କିନ୍ତୁ ଆଜିକାଲି ଅନେକ ଶିକ୍ଷିତା ଝିଅ ବୋହୁମାନେ ପାଦରେ ଚମଡ଼ା ଜୋତା ବା ଚପଲ ବ୍ୟବହାର କଲେଣି । ସ୍ତ୍ରୀମାନେ ତିନିଦିନଯାକ ମସିଣା ଉପରେ ବସାଉଠା କରନ୍ତି । ଖାଇବା ପିଇବା ମଧ ମସିଣା ଉପରେ କରନ୍ତି ।
ସାଂସ୍କୃତିକ କାର୍ଯ୍ୟକ୍ରମ :
ରଜ ପର୍ବ ଆବାଳବୃଦ୍ଧବନିତାଙ୍କ ଓଠରେ ହସ ଭରିଦିଏ । ଗାଁ ଗହଳିର ଲୋକମାନେ ପାଲା, ଦାସକାଠିଆ, ସଙ୍ଗୀତ ଓ ଥିଏଟର ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ କରି ବେଶ୍ ଆନନ୍ଦରେ ସମୟ କଟାନ୍ତି । କେଉଁଠି କେଉଁଠି ବିଭିନ୍ନ ପ୍ରକାରର ଖେଳକସରତ ଇତ୍ୟାଦି ହୁଏ ।

ଦିନ ରଜ :
ରଜ ସଂକ୍ରାନ୍ତି ପରଦିନକୁ ଭୂମିଦାହ ବା ଭୂମି ଦହନ କୁହାଯାଏ । ସେଦିନ ଭୂମିକର୍ଷଣ କରାଯାଏ ନାହିଁ । ଚତୁର୍ଥ ଦିନ ବସୁମତୀ ସ୍ନାନ । ସ୍ଥାନ ବିଶେଷରେ ଏହି ଦିନଟିକୁ ‘ଠାକୁରାଣୀ ବୁଡ଼’ ବୋଲି କହନ୍ତି । ରଜସଂକ୍ରାନ୍ତି ଦିନ ସକାଳୁ ଘରର ଚାରିପାଖେ ଗୋବର ବା ଖଡ଼ିଗାର ଦିଆଯାଏ । ଗୋବରରେ ନାଇଟ୍ରିକ୍ ଏସିଡ଼୍ ଥାଏ । ତେଣୁ ଗୋବର ପାଖକୁ ସାପ ଆସେ ନାହିଁ । ବର୍ଷାଋତୁରେ ସାପ ଗାତରେ ପାଣି ପଶିବାରୁ ସାପମାନେ ଗାତରୁ ଆସି ଘର ଭିତରେ ପଶନ୍ତି । ଏଥିପାଇଁ ଗୋବର ଲିପା ବିଧି ସମାଜରେ ବହୁକାଳରୁ ପ୍ରଚଳିତ ହୋଇଆସୁଛି ।
ରଜଦୋଳି :
ରଜଦୋଳି ରଜପର୍ବରେ ଆଉ ଏକ ବିଶେଷ ଆକର୍ଷଣ । ଝିଅମାନେ ଦୋଳି ଖେଳିବାକୁ ସତେ ଯେପରି ରଜପର୍ବକୁ ଅପେକ୍ଷା କରିଥାଆନ୍ତି । ରଜ ଦୋଳି ଗଛ ଡାଳରେ ବାନ୍ଧି ମନ ଆନନ୍ଦରେ ଦୋଳି ଗୀତ ଗାଇ ଖେଳନ୍ତି । ସେମାନଙ୍କ କଣ୍ଠରୁ ଭାସିଆସେ..
"ଦୋଳି ହୁଏ ମଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁଥାଏ ଝଟଝଟ"
ଉପସଂହାର :
ରଜପର୍ବ ଓଡ଼ିଶାର ଏକ ଜାତୀୟ ପର୍ବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୁଏ ।
No comments:
Post a Comment