ଶିଶୁଦିବସ
ଉପକ୍ରମ :
ଭାରତର ସ୍ଵାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ହେଉଛନ୍ତି ସ୍ଵର୍ଗତ ପଣ୍ଡିତ ଜବାହରଲାଲ ନେହେରୁ । ସେ କେବଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନ ଥିଲେ; ସେ ଥିଲେ ମାନବବାଦୀ ଓ ଅତ୍ୟନ୍ତ ଶିଶୁପ୍ରେମୀ । ଶିଶୁମାନଙ୍କୁ ସେ ପ୍ରାଣଭରି ଭଲ ପାଉଥିଲେ । ତେଣୁ ତାଙ୍କରି ଜନ୍ମତିଥି ନଭେମ୍ବର ଚଉଦ ତାରିଖ “ଶିଶୁଦିବସ” ରୂପେ ଭାରତରେ ପରିଚିତ । ଶିଶୁମାନଙ୍କର ଏହା ଏକ ଆନନ୍ଦର ଦିନ ।
ପାଳନର କାରଣ :
ଶିଶୁଦିବସ ପାଳନର ଉଦ୍ଦେଶ୍ୟ ଅତି ମହାନ୍ । ଏହି ଦିବସର ସ୍ରଷ୍ଟା ପଣ୍ଡିତ ନେହେରୁ ଶିଶୁମାନଙ୍କୁ ନେଇ ମହାନ୍ କଳ୍ପନା କରିଥିଲେ । ସେ ଶିଶୁମାନଙ୍କ ଭିତରେ ଆଗାମୀ ସୁଖସମୃଦ୍ଧି ଭାରତକୁ ଦେଖି ପାରିଥିଲେ । ଶିଶୁବତ୍ସଳ ନେହେରୁଙ୍କଠାରେ ଶିଶୁ ପ୍ରେମ ନୈସର୍ଗିକ ଓ ସହଜାତ ଥିଲା । ସେ ଜାଣିଥିଲେ ଶିଶୁମାନେ ହେଉଛନ୍ତି ଭାରତର ଭବିଷ୍ୟତ ନାଗରିକ, କର୍ଣ୍ଣଧାର ଓ ନିୟାମକ । ସେମାନଙ୍କର ସର୍ବବିଧ ଉନ୍ନତି ଉପରେ ଦେଶର ଉନ୍ନତି ନିର୍ଭର କରୁଛି । ଖଣିଜ, ବିଦ୍ୟୁତ୍, ବନ, ଜଳ ଓ ଗୋସମ୍ପଦ ପରି ଶିଶୁ ଦେଶର ଅମୂଲ୍ୟ ସମ୍ପଦ । ଏହି ସମ୍ପଦର ଯତ୍ନ ଓ ବର୍ଦ୍ଧନ ଦରକାର । ଦେଶ ସ୍ଵାଧୀନ ହୋଇଛି । ଏହି ସ୍ଵାଧୀନ ଦେଶର ସୁପରିଚାଳନା ନିମିତ୍ତ ଦାୟିତ୍ଵ ସମ୍ପନ୍ନ ନାଗରିକ ଆବଶ୍ୟକ । କଥାରେ ଅଛି, “ଯାହା ନୋହିଛି ବାଳକାଳେ, ତାହା ନୋହିବା କାଳେ କାଳେ ।” ତେଣୁ ଦେଶର ହିତ ଦୃଷ୍ଟିରୁ ଶିଶୁମାନଙ୍କର ସାମଗ୍ରିକ ଉନ୍ନତି ପ୍ରତି ଶୈଶବରୁ ଦୃଷ୍ଟି ଦେବା ଉଚିତ । ବାଲ୍ୟରୁ ଶିଶୁଠାରେ ସାଧୁତା, ନମ୍ରତା, ସତ୍ୟବାଦିତା, ସେବା ଓ ଦେଶଭକ୍ତିର ଉଦ୍ରୋକ ହେଲେ ସେ ସୁସ୍ଥ ସମାଜ ଗଠନ ପାଇଁ ସହାୟକ ହୋଇପାରିବ । ଏଥିପାଇଁ ସମାଜର ଗୁରୁଦାୟିତ୍ଵ ରହିଛି । ପିତାମାତା, ଗୁରୁଜନ ଓ ସରକାର ଏଥିପ୍ରତି ସଚେତନ ହେବା ଦରକାର । ଦେଶର ସୁପରିଚାଳନା ନିମିତ୍ତ ଚରିତ୍ର ହିଁ ବଡ଼ କଥା । ସତ୍, ଚରିତ୍ରବତ୍ତାର ଅଭାବରେ ଦେଶର ପ୍ରତ୍ୟେକ ସ୍ତରରେ ବିଫଳତା ଦେଖାଯିବା ସ୍ଵାଭାବିକ । ଏଣୁ ସୁସ୍ଥ ଓ ନୈତିକ ସମାଜ ଗଠନ ପାଇଁ ମୂଳକୁ ସଜାଡ଼ିବାକୁ ହେବ । ଏହି ମୂଳ ହେଉଛନ୍ତି ଶିଶୁ ସମାଜ । ଦୂରଦ୍ରଷ୍ଟା ନେହେରୁ ଦେଶର ସର୍ବାଙ୍ଗିନ ଉନ୍ନତି ପାଇଁ ଶିଶୁଭକ୍ତିର ବିକାଶକୁ ଗୁରୁତ୍ଵ ଦେଇଥିଲେ । ଶିଶୁମାନଙ୍କର ଉଦାର ଚିନ୍ତାଧାରା, ବ୍ୟାପକ ଦୃଷ୍ଟିଭଙ୍ଗୀ, ନିର୍ମଳ ମନ ଓ ଉତ୍ତମ ସ୍ଵାସ୍ଥ୍ୟର ବିକାଶ ଘଟାଇବା ପାଇଁ ଶିଶୁଦିବସ ପାଳନ କରାଯାଏ ।
ପାଳନ ପ୍ରଣାଳୀ:
ଆମ ଦେଶରେ ଶିଶୁମାନେ ଶିଶୁଦିବସ ଉପଭୋଗ କରନ୍ତି । ଶିଶୁଦିବସ ଦିନ ପିଲାମାନେ ଭଲ ପୋଷାକପତ୍ର ପିନ୍ଧି ସ୍କୁଲକୁ ଯାଆନ୍ତି । ସେଠାରୁ ସେମାନେ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ଶୋଭାଯାତ୍ରାରେ ବାହାରନ୍ତି । ରାସ୍ତାରେ ଗଳାବେଳେ “ଚାଚା ନେହେରୁ ଜିନ୍ଦାବାଦ” ଓ “ଆଜିର ଶିଶୁ କାଲିର ନେତା” ଧ୍ଵନିମାନ ଦିଅନ୍ତି । ବିଭିନ୍ନ ଅନୁଷ୍ଠାନର ଅସଂଖ୍ୟା ଛାତ୍ରଛାତ୍ରୀଙ୍କ ପ୍ରଭାତଫେରିରେ ରାସ୍ତା ପୂର୍ଣ୍ଣ ହୋଇଯାଏ । ପ୍ରଭାତଫେରିରୁ ଫେରିବା ପରେ ବିଦ୍ୟାଳୟର ସଭା ଗୃହରେ ସଭାକାର୍ଯ୍ୟ ଆରମ୍ଭ ହୁଏ । ନେହେରୁଙ୍କ ଫଟୋ ପୃଷ୍ଠମାଳରେ ସଜିତ ହୋଇ ଥୁଆ ହୋଇଥାଏ । ପ୍ରଧାନ ଶିକ୍ଷକ ସଭାପତି ହୁଅନ୍ତି । ସଭାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଶୁଦିବସର ତାତ୍ପର୍ଯ୍ୟ ଓ ନେହେରୁଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରନ୍ତି । ପିଲାମାନଙ୍କ ମଧ୍ୟରେ ବକୃକ୍ତା, ସଙ୍ଗୀତ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କାର ଦିଆଯାଏ । ଏହା ବ୍ୟତୀତ ଏହି ଦିବସର ଅନ୍ୟତମ ଆକର୍ଷଣ ହେଲା ଶିଶୁମାନଙ୍କଦ୍ଵାରା କରାଯାଇଥିବା କୌତୁକ ପୋଷାକ ପ୍ରତିଯୋଗିତା । ଶିଶୁଦିବସ ଉପଲକ୍ଷେ ଶିଶୁମାନଙ୍କ ଭିତରେ ମିଷ୍ଠାନ୍ନ ବଣ୍ଟା ହୁଏ । ଶିଶୁ ମାନଙ୍କୁ ଖୁସି କରାଇବାପାଇଁ ନୃତ୍ୟଗୀତ ଓ ଚଳଚ୍ଚିତ୍ର ପ୍ରଦର୍ଶନର ବ୍ୟବସ୍ଥା ହୋଇଥାଏ ।
ଶିଶୁକଲ୍ୟାଣ ପାଇ ଉଦ୍ୟମ:
ଆନ୍ତର୍ଜାତିକ ସ୍ତରରେ ଶିଶୁ ସମାଜର କଲ୍ୟାଣ ପାଇଁ ମିଳିତ ଜାତିସଂଘ ମଧ୍ୟ କେତେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଆମ ଦେଶରେ ସରକାରଙ୍କ ତରଫରୁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି । ଦେଶ ଦେଶ ଭିତରେ ଶିଶୁ ମାନଙ୍କ ପାଇଁ ଉପହାରମାନ ଆଦାନପ୍ରଦାନ ହେଉଅଛି । ବିକଳାଙ୍ଗ ଶିଶୁଙ୍କ ପାଇଁ ଆବାସସ୍ଥଳ ଓ ସ୍ଵତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା ହେଲାଣି । ପୂର୍ବରୁ ସ୍ଵାସ୍ଥ୍ୟ ଅଭାବରୁ ଘଟୁଥିବା ପର୍ଯ୍ୟାପ୍ତ ଶିଶୁ ମୃତ୍ୟୁକୁ ଚିକିତ୍ସା ବ୍ୟବସ୍ଥା ଦ୍ଵାରା ବନ୍ଦ କରାଯାଇଛି । ଅନାଥ ଶିଶୁଙ୍କ କଲ୍ୟାଣ ନିମିତ୍ତ ସରକାରୀ ଉଦ୍ୟମରେ ଅନାଥାଶ୍ରମ ଖୋଲାଗଲାଣି । ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବାକୁ ହେବ । ଶିଶୁମାନଙ୍କର ଉନ୍ନତି ପାଇଁ ମାତୃଜାତିର ଶିକ୍ଷା ସ୍ଵାସ୍ଥ୍ୟର ଉନ୍ନତି ପ୍ରତି ଦୃଷ୍ଟି ଦେବାକୁ ହେବ । ପ୍ରତ୍ୟେକ ଶିଶୁର ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ରହିବା ଦରକାର ।
ଉପସଂହାର:
ଶିଶୁଦିବସ ଭାରତର ଜାତୀୟ ଦିବସ ହେଲେ ମଧ୍ୟ ଆଜି ଅନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଶିଶୁମାନଙ୍କ ଉନ୍ନତି ପ୍ରତି ଦୃଷ୍ଟି ଦିଆଗଲାଣି । ୧୯୮୦ରେ ବିଶ୍ଵ ଶିଶୁଦିବସ ପାଳିତ ହୋଇଅଛି । ସରକାରୀ ଓ ବେସରକାରୀ ସ୍ତରରେ ବହୁତ ଅନୁଷ୍ଠାନ ଶିଶୁ ଉତ୍ସବ ପାଳନ କରୁଛନ୍ତି । ଓଡ଼ିଶା ବେସରକାରୀ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରାୟ ପ୍ରତିବର୍ଷ ଶିଶୁ ମେଳା ଅନୁଷ୍ଠିତ ହୋଇଥାଏ । ନେହେରୁ ଆଜି ଗତାୟୁ, ମାତ୍ର ତାଙ୍କର ଜନ୍ମତିଥିରେ ଅନୁଷ୍ଠିତ ଶିଶୁଦିବସ ତାଙ୍କୁ ଅମର କରି ରଖିଛି ।
Nice ..but not details
ReplyDeleteThanks
ReplyDelete